୨୦୦୨ ମସିହାର ହେବ କି ପୁନରାବୃତ୍ତି
ଭୁବନେଶ୍ୱର: ବିଜେଡିରେ ଘଡିକେ ଘୋଡା ଛୁଟୁଛି। ପୁଣିଥରେ ବିଜେଡିରେ ୨୦୦୨ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଜେଡି ସଂସଦୀୟ ଦଳ ସମାନ୍ତରାଳ ବିଭାଜନ ମୁହଁରେ ଛିଡ଼ା ହୋଇଛି। ସେ ସମୟରେ ବି ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ବିରୋଧ କରି ସଂସଦୀୟ ଦଳ ଭାଗ ଭାଗ ହୋଇଥିଲା।
ଆଉ ସମାନ ଢଙ୍ଗରେଏବେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କ ବିରୋଧରେ ଏକାଠି ହୋଇଛନ୍ତି କିଛି ରାଜ୍ୟସଭା ସାଂସଦ ଓ ପୂର୍ବତନ ସାଂସଦ। ଗତ ସପ୍ତାହରେ ବିଜେଡିର ୪ ଜଣ ବର୍ତ୍ତମାନର ରାଜ୍ୟସଭା ସାଂସଦ ଓ କିଛି ପୂର୍ବତନ ସାଂସଦ ପାତ୍ରଙ୍କ ବିରୋଧରେ ଲିଖିତ ଭାବେ ଦଳର ସଭାପତିଙ୍କୁ ଜଣାଇଛନ୍ତି। ସସ୍ମିତଙ୍କୁ ସଂସଦୀୟ ଦଳ ନେତାପଦରୁ ହଟେଇବା ସହ କାହାକୁ ନେତା କରାଯିବାର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ମଧ୍ୟ ସଭାପତିଙ୍କୁ ଅବଗତ କରାଯାଇଛି।
ନବୀନ ବିଦ୍ରୋହୀଙ୍କୁ ପରିବର୍ତ୍ତନର ଆଶ୍ବାସନା ନ ଦେଇ କେବଳ ଏହାର ବିଚାର କରୁଛନ୍ତି ବୋଲି ଚିରାଚରିତ ଢଙ୍ଗରେ କହିଛନ୍ତି। ସସ୍ମିତଙ୍କ ବିରୋଧରେ ବିଜେଡି ସାଂସଦଙ୍କ ଅଭିଯୋଗ ହେଉଛି, ସେ କୁଆଡ଼େ ଭାଜପା ଲିଙ୍କ୍ରେ ଅଛନ୍ତି। ସଂସଦୀୟ ଦଳ ନେତା ଭାବେ ସସ୍ମିତ ବିଜେଡିର ଅନ୍ୟ ସାଂସଦଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରନ୍ତି ନାହିଁ। ଏପିରି କି ବିଜୁବାବୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ସେ ଏକୁଟିଆ ରାଜ୍ୟସଭାରେ ନିଜ ବିବୃତ୍ତି ରଖି କକ୍ଷତ୍ୟାଗ କରିଥିଲେ।
ଦଳର ଅନ୍ୟ ସାଂସଦଙ୍କୁ ଏ ବାବଦରେ ସେ ଜଣାଇ ବି ନ ଥିଲେ। ଅବଶ୍ୟ ଏ ସମ୍ପର୍କରେ ସସ୍ମିତ ମଧ୍ୟ ନବୀନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ୨୦୦୨ରେ ବିଜେଡିରେ ମଧ୍ୟ ଏଭଳି ଏକ ସ୍ଥିତି ଉପୁଜିଥିଲା। ସେ ସମୟରେ ଦଳର ୧୦ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ଅଲଗା ସଂସଦୀୟ ନେତା ଓ ମୁଖ୍ୟ ସଚେତକଙ୍କ ସହ ପୃଥକ୍ ଆସନ ଦାବି କରି ତତ୍କାଳୀନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ସେ ସମୟରେ ବିଭାଜନ ପାଇଁ ଉଦ୍ୟମ କରିଥିବା ବିଜେଡି ସାଂସଦମାନେ ଥିଲେ ପ୍ରସନ୍ନ ପାଟ୍ଟଶାଣୀ, ଭତ୍ତୃହରି ମହତାବ, ପ୍ରଭାତ ସାମନ୍ତରାୟ, କୁମୁଦିନୀ ପଟ୍ଟନାୟକ, ଜଗନ୍ନାଥ ମଲ୍ଲିକ ଓ ପ୍ରସନ୍ନ ଆଚାର୍ଯ୍ୟ।
ଏହି ୬ ସାଂସଦ ଅର୍ଜୁନ ସେଠୀଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଓ ବ୍ରଜ ତ୍ରିପାଠୀଙ୍କ ବଦଳରେ ଭର୍ତ୍ତୃହରିଙ୍କୁ ବିଜେଡି ମୁଖ୍ୟ ସଚେତକ ଭାବେ ମାନ୍ୟତା ଦେବାକୁ ଦାବି କରିଥିଲେ। ସେ ସମୟରେ ଚର୍ଚ୍ଚା ହେଉଥିଲା ଯେ ନବୀନଙ୍କ ବିରୋଧରେ ହେଉଥିବା ଏହି ଅଭିଯାନ ସଫଳ ହୋଇଥିଲେ ବିଧାନସଭାରେ ବିଭାଜନ ପାଇଁ ଉଦ୍ୟମ ହୋଇଥାନ୍ତା। ହେଲେ ତାହା ସଫଳ ହେଲା ନାହିଁ। ଅବଶ୍ୟ ସେ ସମୟରେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ ଓ ଭାଜପା ସହ ମିଳିତ ସରକାର ଗଠନ କରିଥିଲେ। କିନ୍ତୁ ସେ ସମୟର ସ୍ଥିତି ଏବେଆଉ ନାହିଁ। ତେଣୁ ଏବେ ନବୀନଙ୍କ ନିଷ୍ପତ୍ତି ଦଳରଭବିଷ୍ୟତ ନିର୍ଦ୍ଧାରିତ କରିବ। ଏମପି ମାନଙ୍କ ଏହି ଦାବି ନବୀନ କେତେଦୂର ଗ୍ରହଣ କରିବେ ତାହା ସମୟ କହିବ।