Please wait...

 
Trending Now
  • ସିଜିମାଳି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି
  • ଲଙ୍ଗଳକଣ୍ଟି ଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
  • ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା
  • ଅରଡେଇ ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ - ମୁଖ୍ୟମନ୍ତ୍ରୀ
  • ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
Friday, Jul 3, 2026
Published on: Saturday, March 14, 2026
ରାଜ୍ୟ

ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ


ଭାଜପା ଘୋଡା ବେପାର କରୁଛି: ନବୀନ

ଭୁବନେଶ୍ୱର, (ବ୍ୟୁରୋ) : ଆସନ୍ତା ୧୬ ତାରିଖରେ ରାଜ୍ୟ ସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଦିନ ଯେତେ ପାଖେଇ ଆସୁଛି ରାଜ୍ୟ ସଭା ଗଣିତ ପ୍ରତ୍ୟେକ ଦିନ ନୂଆ ମୋଡ ନେଉଛି । ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ନେତାମାନେ ଛାତି ବାଡେଇ ଦାବି କରୁଥିଲେ ମଧ୍ୟ ନିଜ ଦଳର ନେତାଙ୍କ ଉପରେ ଆଉ ସେମାନଙ୍କର ଭରସା ପାଉନି । କଂଗ୍ରେସ ଓ ବିଜେଡି ମୁଖିଆଙ୍କ ବିପି  ବଢି ଚାଲିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଶନିବାର ଗଣମାଧ୍ୟମକୁ ଘୋଡା ଉପରେ ନେଇ ବୟାନ ଦେବା ପରେ ରାଜ୍ୟ ସଭା ରାଜନୀତି ଆହୁରି ସରଗରମ ହୋଇଛି । ନବୀନ କହିଛନ୍ତି ଯେ ଭାଜପା ଘୋଡା ବେପାର କରୁଛି ।ଏହା ଅପରାଧ ବୋଲି ସେ କହିଛନ୍ତି ।  ନବୀନ ହଠାତ ଗଣମାଧ୍ୟମରେ ଘୋଡା ବେପାର କଥା କହିବା ରାଜ୍ୟ ସଭା ନିର୍ବାଚନ ପରାଜୟକୁ ସୂଚାଉଛି ।

ନବୀନ ଖୋଲାଖୋଲି ଘୋଡା ବେପାର କହିବା  ଅର୍ଥ ବିଜେଡିର ସମସ୍ତ ବିଧାୟକ ଆଉ ତାଙ୍କ ନିୟନ୍ତ୍ରଣରେ ନାହାନ୍ତି  ବୋଲି   ରାଜନୈତିକ ବିଶେଷଜ୍ଞ ମତ ଦେଉଛନ୍ତି । ମିଳିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଆଉ ତାଙ୍କର ସାହସ ପାଉ ନାହିଁ । ଏପରିକି ବିଜେଡିର ପ୍ରଥମ ପ୍ରାର୍ଥୀ ଜିତିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଲାଣି ।  ବିଜେଡିରୁ ନିଲମ୍ବିତ ହୋଇଥିବା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ ପ୍ରଥମରୁ ଅଲଗା ହୋଇଯାଇଛନ୍ତି । ଏମାନଙ୍କୁ ବାଦ ଦେଲେ ନିକଟରେ ବିଜେଡିରୁ ପ୍ରଭାତ ବିଶ୍ୱାଳଙ୍କ ବହିସ୍କାର ଏବଂ ପୂର୍ବତନ ଏମପି ରବିନ୍ଦ୍ର ଜେନାଙ୍କ ଭାଜପାରେ ସାମିଲ ହେବା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ବଢାଇ ଦେଇଛି । ପ୍ରଭାତଙ୍କ ପୁଅ ସୌଭିକ ବିଶ୍ୱାଳ ଏବଂ ରବିନ୍ଦ୍ରଙ୍କ ପତ୍ନୀ ସୁବାସୀନି ଜେନାଙ୍କ ମତିଗତିକୁ ନେଇ ବିଜେଡି ସୁପ୍ରିମୋ ଚିନ୍ତାରେ ପଡିଛନ୍ତି ।

ଉଭୟଙ୍କୁ ମନାଇବା ପାଇଁ ବିଜେଡିର ୧୪ ଜଣ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ପ୍ରଭାତ ବିଶ୍ୱାଳ ଏବଂ ରବିନ୍ଦ୍ର ଜେନାଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଶୁକ୍ରବାର ସୁବାସୀନିଙ୍କୁ ସାଙ୍ଗରେ  ଧରି ନୀବନ ନିବାସ ଯାଇଥିଲେ । ନବୀନ ମଧ୍ୟ ସୁବାସିନୀଙ୍କ ସହ କଥା ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜ ଦଳର ୧୪ ଜଣଙ୍କ ମଧ୍ୟରୁ ୯ ଜଣ ବିଧାୟକଙ୍କୁ ନେଇ ବାଙ୍ଗାଲୁରରେ ଆତ୍ମ ଗୋପନ କରିଛନ୍ତି ।  

ଯେଉଁ ୫ଜଣ ଓଡିଶାରେ ଅଛନ୍ତି ସେମାନଙ୍କ ମଧ୍ୟରୁ କଟକ ବାରବାଟି ବିଧାୟିକ ସୋଫିଆ ଫିର୍ଦ୍ଦୋଷ, ରାମ ଚନ୍ଦ୍ର କାଡାମ ଏବଂ ତାରା ବାହିନୀପତି ଗଣମାଧ୍ୟମକୁ ଆସି କଂଗ୍ରେସ ସମର୍ଥୀତ ମିଳିତ ପ୍ରାର୍ଥୀଙ୍କୁ ଭୋଟ ଦେବା କଥା କହୁଥିବା ବେଳେ ମୋହନା ବିଧାୟୟକ ଦାସରଥି ଗମାଙ୍ଗ ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କର କୌଣସି ଖୋଜ ଖବର ନାହିଁ ।  ସୋଫିଆ ଫିର୍ଦ୍ଦୋଷ, ରାମ ଚନ୍ଦ୍ର କାଡାମ ଏବଂ ତାରା ବାହିନୀପତି ଯେ ଦଳ ପ୍ରତି ବୋଫାଦାର ରହିବେ ତାହା ମଧ୍ୟ କହିବା ମୁସ୍କିଲ ।  ତାରାଙ୍କ ସହ ଭାଜପା ସମର୍ଥୀତ  ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କର ଅତି ମଧୁର ସମ୍ପର୍କ ରହିଛି । ସେ କାହାକୁ ଭୋଟ ଦେବେ ତାହା ନିର୍ବାଚନ ଦିନ ହିଁ ଜଣା ପଡିଯିବ । କଂଗ୍ରେସ ଓ ବିଜେଡିରେ  ଏକ ପ୍ରକାର ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ଭରପୁର ଫାଇଦା ଉଠାଇବା ପାଇଁ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀ ସୁଯୋଗକୁ ଚାହିଁ ବସିଛନ୍ତି ।

ହାରିବା ଜାଣିଗଲେଣି ନବୀନ: ଜୟ ନାରାୟଣ

ଭାଜପା ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଯେ ଆମେ ଘୋଡା ବେପାର କରୁ ନାହୁଁ । ବିଜେଡି ଡଙ୍ଗା ବୁଡିବାକୁ ବସିଲାଣି । ନବୀନ ବାବୁ ଜାଣି ଗଲେଣି ସେ ହାରୁଛନ୍ତି । ହାରିବା ଜାଣିବା ପରେ ସେ ଘୋଡା ବେପାର କଥା  କହୁଛନ୍ତି । ଆମେ ବିଧାୟକମାନଙ୍କୁ ବିବେକାନୁମୋଦିତ ଭୋଟ ପାଇଁ ନିବେଦନ କରୁଛୁ । ଯାହାର ଇଛା ହେବ ସେ ଆମକୁ ଭୋଟ ଦେବେ । ଏଥିରେ ଘୋଡା ବେପାର କଥା ଉଠିଲା କୋଉଠୁ ବୋଲି ଜୟ ନାରାୟଣ କହିଛନ୍ତି । 

 

 

ସାମ୍ପ୍ରତିକ ଖବର