Please wait...

 
Trending Now
  • ସିଜିମାଳି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି
  • ଲଙ୍ଗଳକଣ୍ଟି ଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
  • ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା
  • ଅରଡେଇ ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ - ମୁଖ୍ୟମନ୍ତ୍ରୀ
  • ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
Friday, Jul 3, 2026
Published on: Saturday, March 14, 2026
ରାଜ୍ୟ

ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ


ଭୁବନେଶ୍ୱର, (ନିପ୍ର) : ରାଜ୍ୟର ବାହାଘର ଆୟୋଜନ ଉପରେ ଏବେ ପଡିଛି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ଯୁଦ୍ଧ ଯୋଗୁଁ ଗ୍ୟାସ ସିଲିଣ୍ଡରର ଅଭାବ ଏବେ ବାହାଘର ଭୋଜିଭାତକୁ ପ୍ରଭାବିତ କରିଛି । ରୋଷେଇ ପାଇଁ ଆୟୋଜନକାରୀ ଗ୍ୟାସ କେଉଁଠାରୁ ଆଣିବେ ସେହି ଚିନ୍ତାରେ ଏବେ ବର କନ୍ୟା ପରିବାର।  ଭୋଜି ପ୍ରସ୍ତୁତକାରୀମାନେ  ଗ୍ୟାସ ଅଭାବ ଦର୍ଶାଇ ଅଧିକ ଅର୍ଥ ଦାବି କଲେଣି ।ଗ୍ୟାସର ଦର ହଠାତ୍‍ ବୃଦ୍ଧି ପାଇବା ଓ ବୁକିଂର ଅବଧି ବଢିବା ପରେ ଲୋକେ ଗ୍ୟାସ ସିଲିଣ୍ଡରଟିଏ ପାଇବାପାଇଁ ବିଭିନ୍ନ ସ୍ଥାନରେ ଧାଡି ଲଗାଇବାରେ ଲାଗିଛନ୍ତି । ରାତି ପାହିଲେ ଗ୍ୟାସ ବିତରକଙ୍କ ଦୁଆର ମୁହଁରେ ସିଲିଣ୍ଡର ଧରି ଲୋକେ ଧାଡିରେ ଛିଡା ହେଉଛନ୍ତି ।

କିଛି ଲୋକେ ଗ୍ୟାସ ପାଇବାରେ ସଫଳ ହେଉଥିବାବେଳେ ଆଉ କିଛି ଶୂନ୍ୟ ହସ୍ତରେ ଫେରୁଛନ୍ତି । ତେବେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଲୋକେ କାମଦାମ ଛାଡି ଗ୍ୟାସ ପାଇବାକୁ ଧାଡି ଲଗାଉଛନ୍ତି ।ରାଜ୍ୟରେ ଏବେ ବାହାଘର ଋତୁ ଚାଲିଥିବାବେଳେ ଗ୍ୟାସ ଅଭାବ ପ୍ରଚାର ହୋଇଯିବା ପରେ ଏହାର ସିଧାସଳଖ ବାହାଘର ବିଶେଷକରି ଭୋଜିଭାତ ଆୟୋଜନ ଉପରେ ଏହାର ପ୍ରଭାବ  ପଡିଛି । ରୋଷେଇ ପାଇଁ ଗ୍ୟାସ କେଉଁଠାରେ ମିଳିବ ସେଥିପାଇଁ ଆୟୋଜନକାରୀମାନେ ଚିନ୍ତାରେ ରହିଛନ୍ତି । ବିଭିନ୍ନ ଲୋକଙ୍କୁ ଏଥିପାଇଁ ନେହୁରା ହେଉଥିଲେ ମଧ୍ୟ ଯେଉଁମାନଙ୍କ ନିକଟରେ ସିଲିଣ୍ଡର ରହିଛି ସେମାନେ ଦେବାକୁ ରାଜି ହେଉନାହାନ୍ତି ।

ତେବେ ଯେଉଁମାନେ ବିଭିନ୍ନ ହୋଟେଲରେ ବାହାଘର ଆୟୋଜନ କରିଥିଲେ କିମ୍ବା ବିଭିନ୍ନ ସଂସ୍ଥାକୁ ଭୋଜି ପ୍ରସ୍ତୁତି ଦାୟିତ୍ୱ ଦେଇଥିଲେ, ସେମାନଙ୍କ ଉପରେ ଏବେ ବୋଝ ବଢିବାରେ ଲାଗିଛି । ଗ୍ୟାସ ଅଭାବର ଆଳ ଦେଖାଇ ପୂର୍ବରୁ ଭୋଜି ପାଇଁ ଯେଉଁ ଦର ଛିଡିଥିଲା ତାହାକୁ ବଢାଯାଉଛି । ଆୟୋଜନକାରୀ ବି ସ୍ଥିତିକୁ ଦେଖି ଅଧିକ ଦର ଗଣିବାକୁ ବାଧ୍ୟ ହେଉଛନ୍ତି ।କେବଳ ଗ୍ୟାସ ସଙ୍କଟ ନୁହେଁ ବଜାରରେ ହଠାତ୍‍ ଖାଇବା ତେଲର ଦରବୃଦ୍ଧି ମଧ୍ୟ ଏଥିରେ ଅନ୍ୟତମ ବାଧକ ସାଜିଛି । ଗଳି କନ୍ଦିର ଛୋଟ ବଡ ଦୋକାନ ଠାରୁ ଆରମ୍ଭ କରି ବଡ ବଡ ହୋଟେଲ ଓ ଭୋଜି ପ୍ରସ୍ତୁତକାରୀଙ୍କ ପର‌୍ୟ୍ୟନ୍ତ ସମସ୍ତେ ଏବେ ତେଲ ଦର ବୃଦ୍ଧିର ସାମ୍ନା କରୁଛନ୍ତି ।

ଏଥିଯୋଗୁଁ ବାଧ୍ୟହୋଇ ଭୋଜିଭାତ ଖର୍ଚ୍ଚ ବଢିବାରେ ଲାଗିଛି । ଉଲ୍ଲେଖନୀୟ ଯେ ଗ୍ୟାସ ସଙ୍କଟ ପ୍ରଚାରର ଦିନକ ପରେ ହଟାତ୍‍ ଖାଇବା ତେଲ ଲିଟର ପ୍ରତି ଦର ୧୫ ରୁ ୨୦ ଟଙ୍କା ବଢି ଯାଇଛି । ଅନେକ ଅନ୍‍ଲାଇନ୍‍ ସଂସ୍ଥା ଏବେ ଖାଇବାତେଲ ମହଜୁଦ ନଥିବା ଦର୍ଶାଉଥିବାବେଳେ ଅଧିକ ଲାଭ ଆଶାରେ ବ୍ୟବସାୟୀମାନେ ମଧ୍ୟ ତେଲ ମହଜୁଦ ରଖୁଛନ୍ତି ।ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଏବେ ବିଭିନ୍ନ ସ୍ତରରୁ ଦାବି ହେଉଛି । ବିଶେଷକରି କେଉଁ ଗ୍ୟାସ ଡିଲରଙ୍କ ନିକଟରେ କେତେ ଗ୍ୟାସ ଗଚ୍ଛିତ ରହିଛି ତାହାର ଅପଡେଟ୍‍ ସୂଚନା ସର୍ବସାଧାରଣରେ ପ୍ରକାଶ କରାଯିବାକୁ ଦାବି ହେଉଛି ।

 

 

ସାମ୍ପ୍ରତିକ ଖବର