ଭୁବନେଶ୍ୱର(ବ୍ୟୁରୋ)- ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ୨ ବର୍ଷ ପୂରିବାକୁ ବସିଲାଣି । ହେଲେ ସରକାରଙ୍କ କାର୍ଯ୍ୟ କରିବା ଶୈଳୀକୁ ନେଇ ତୃଣମୂଳ ସ୍ତରରେ ଅସନ୍ତୋଷ ଦାନା ବାନ୍ଧିଲାଣି । ବ୍ଲକ ଠାରୁ ଆରମ୍ଭ କରି ତହସିଲ ଯାଏ ସରକାରୀ କାର୍ଯ୍ୟ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ସତେ ଯେମିତି କେହି ଉତ୍ତରଦାୟୀ ନୁହଁନ୍ତି । ସରକାରଙ୍କ ଜନହୀତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ । କାମ ହେଉ କି ନ ହେଉ ମନ୍ତ୍ରୀମାନେ ଗଣ ମାଧ୍ୟମ ଆଗରେ ଲମ୍ବା ଚଉଡା ଭାଷଣ ଦେଉଛନ୍ତି ।
ତୃଣମୂଳ ସ୍ତରରେ କାର୍ଯ୍ୟ ହେଉ ନାହିଁ । ବାହାପିଆ ମନ୍ତ୍ରୀଙ୍କ ପାଇଁ ସରକାର ବଦନାମ ହେଉଛନ୍ତି ।ବିଜେଡି ସରକାର ସମୟରେ ମନ୍ତ୍ରୀମାନଙ୍କର ଦେଖା ମିଳୁ ନ ଥିଲା । ସରକାର ବଦଳିବା ପରେ ମନ୍ତ୍ରୀମାନେ ଗଣ ମାଧ୍ୟମକୁ ଆସି ଲମ୍ବା ଚଉଡା ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ତାହା କାର୍ଯ୍ୟକାରୀ ହେଉ ନାହିଁ । ଫଳରେ ସରକାର ଲୋକ ହସା ହେଉଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସରକାରୀ ଡାକ୍ତରଖାନାରେ ଖାଲିଥିବା ୫ ହଜାର ଡାକ୍ତର ପଦବୀ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ସ୍ୱାସ୍ଥ୍ୟ ସେବାରେ ଉନ୍ନତୀ ଆଣିବାକୁ ବଡ ବଡ ପ୍ର୍ତିଶ୍ରୁତି ଦେଇଥିଲେ । ହେଲେ ଦିନକୁ ଦିନ ଡାକ୍ତରଖାନା ଅବ୍ୟବସ୍ଥା ଭିତରକୁ ଚାଲି ଯାଉଛି । ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ଜିଲା ଚିକିତ୍ସାଳୟ ଯାଏ ସବୁଠି ସ୍ୱାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି । କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ରୋଗୀ ସେବା ମିଳି ପାରୁ ନାହିଁ । ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ ଯେ ଚଳିତ ବର୍ଷ ଧାନ ସଂଗ୍ରହ ସୁରୁଖୁରୁରେ ହେବ ।
ଜଣେ ଚାଷୀ ଧାନ ବିକିବାରୁ ବାଦସ ପଡିବେ ନାହିଁ । ଚାଷୀମାନେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଇ ଖୁସି ହୋଇଯିବେ । ତେବେ ବାସ୍ତବ ସ୍ଥିତି ହେଉଛି ରାଜ୍ୟରେ ଧାନ ସଂଗ୍ରହ ଅତ୍ୟନ୍ତ ନୈରାଶ୍ୟଜନକ ଅବସ୍ଥାରେ ରହିଛି । ଚାଷୀ ମଣ୍ଡିରେ ଧାନ ଧରି ମିଲରଙ୍କୁ ଅପେକ୍ଷା କରିଛନ୍ତି । ମିଲରଙ୍କ ଅଡୁଆ ତୁଟୁ ନ ଥିବାରୁ ଧାନ ମଣ୍ଡିରୁ ମିଲକୁ ଯାଇ ପାରୁ ନାହିଁ । ଅନ୍ୟ ପକ୍ଷରେ ମନ୍ତ୍ରୀ ଗଣ ମାଧ୍ୟମକୁ କହୁଛନ୍ତି ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଜୋରସୋର ଚାଲିଛି । କେଉଁଠି କିଛି ଅସୁବିଧା ନାହିଁ । ଚାଷୀଙ୍କୁ ସରକାର ୮୦୦ ଟଙ୍କା ଇନପୁଟ ସବସିଡ ଦେଉଛନ୍ତି । ସବୁ କିଛି ସୁରୁଖୁରରେ ଚାଲିଛି । ମାତ୍ର ବାସ୍ତବ ସ୍ଥିତି କିଛି ଅଲଗା କଥା କହୁଛି । ଏବେ ବି ଶହ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି ।
ଧାନ ବିକି ନ ପାରି କେତେକ ଚାଷୀଙ୍କର ମୃତ୍ୟୁ ମଧ୍ୟ ହେଲାଣି ।ସେହିପରି ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ରାଜ୍ୟରେ ଚୋରା ମଦ କାରବାରକୁ ବନ୍ଦ କରିବାକୁ ନୂଆ ଅବକାରୀ ଆଇନ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏ ସେ ଆଇନର ନା ଗନ୍ଧ ନାହିଁ । ରାଜ୍ୟରେ ଲଘୁ ଖଣିଜ ପଦାର୍ଥ, ବାଲି ମୋରମ, ପଥର ବ୍ୟାପକମାତ୍ରରେ ଚୋରା କାରବାର ହେଉଛି । ଏହାକୁ ରୋକିବାକୁ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା କହିଥିଲେ ଯେ ନୂଆ ଲଘୁ ଖଣିଜ ଆଇନ ଆଣି ଚୋରା କାରବାର ଉପରେ ଅଙ୍କୁଶ ଲଗାଇବେ । ମାତ୍ର ଏଯାଏ ନୂଆ ଆଇନର କୌଣସି ସ୍ୱର ଶଦ୍ଦ ନାହିଁ ।
ଅନ୍ୟ ପକ୍ଷରେ ସାରା ରାଜ୍ୟରେ ବାଲି, ପଥର, ମୋରମ ଆଦି ଚୋରା କାରବାର ବ୍ୟପାକ ମାତ୍ରାରେ ବଢି ଚାଲିଛି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଚଳିତ ବର୍ଷ ହିତାଧିକାରୀଙ୍କୁ ୨୯୨୫-୨୬ ଆର୍ଥିକ ବର୍ଷରେ ହୀତାଧିକାରୀଙ୍କୁ ୩ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏ ତାହାର କୌଣସି ସୂଚନା ନାହିଁ ।
ବିକାଶ ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି ଅଧିକାରୀ ଧରାଛୁଆ ଦେଉ ନାହାନ୍ତି । ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ସରକାରଙ୍କୁ ଲୋକ ହସା କରୁଛି କିଏ । ମନ୍ତ୍ରୀ ନା ଅଧିକାରୀ । ତୃଣମୂଳ ସ୍ତରରେ ଏଭଳି ଖବର ଲୋକଙ୍କ ପାଖରେ ପହଞ୍ଚିବାରେ ଲାଗିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପ୍ରଶାସନିକ ଅବ୍ୟବସ୍ଥା ସରକାରଙ୍କ ଟେନସନ ବଢାଇ ଦେଲାଣି ।ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଜଗନ୍ନାଥ ରାଓ କହିଛନ୍ତି ଯେ ମନ୍ତ୍ରୀମାନେ ଯାହା କହୁଛନ୍ତି ତାହା ତୃଣମୂଳ ସ୍ତରରେ ପ୍ରତିଫଳିତ ହେଉନି । ଜନ ଅସନ୍ତୋଷ ବଢିବା ସ୍ୱାଭାବିକ । ସରକାରଙ୍କୁ ସହାୟତା କରିବାକୁ ରହିଥିବା ଅଧିକାରୀମାନେ ଯଦି ମନ୍ତ୍ରୀଙ୍କ କଥାକୁ ଗୁରୁତର ସହ ନ ନେବେ ତେବେ ତାହା କାର୍ଯ୍ୟକାରୀ ହୋଇ ପାରିବ ନାହିଁ । ମନ୍ତ୍ରୀମାନେ ପ୍ରଥମେ ବ୍ୟବସ୍ଥାକୁ ଠିକ କରି ଗଣ ମାଧ୍ୟମକୁ ଆସିଲେ ଭଲ ହେବ ।